ବିଶ୍ୱବ୍ୟାଙ୍କ ୱେବ୍‌‌ସାଇଟ୍‌‌ରେ ଓଡ଼ିଶାର ସଫଳ ଗାଥା

ଭୁବନେଶ୍ୱର : ୧୯୯୯ ମସିହାର ଓଡ଼ିଶା ଓ ବର୍ତ୍ତମାନର ଓଡ଼ିଶା ମଧ୍ୟରେ ଅନେକ ପରିବର୍ତ୍ତନ। ବିପର୍ୟ୍ୟୟ ପରିଚାଳନା କ୍ଷେତ୍ରରେ ଘଟିଥିବା ରୂପାନ୍ତରଣ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି। ବିପର୍ୟ୍ୟୟ ମୁକାବିଲା ପାଇଁ ବିଭିନ୍ନ ଦେଶକୁ ସହଯୋଗ ପ୍ରଦାନ କରୁଥିବା ବିଶ୍ୱବ୍ୟାଙ୍କ ଓଡ଼ିଶାର ବିପର୍ୟ୍ୟୟ ପରିଚାଳନାକୁୁ ସ୍ୱୀକୃତି ଦେବା ସହ ନିଜ ଏକ ପ୍ରେରଣାଦାୟୀ ଉଦାହରଣ ଭାବରେ ନିଜ ୱେବସାଇଟ୍‌‌ରେ ପ୍ରକାଶ କରିଛି। ବିଶ୍ୱବ୍ୟାଙ୍କ ୱେବ୍‌‌ସାଇଟ୍‌‌ରେ ପ୍ରକାଶ ପାଇଥିବା ଏକ ଆଲେଖ୍ୟରେ ଓଡ଼ିଶାର ସମ୍ପୂର୍ଣ୍ଣ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ପ୍ରକାଶିତ ରିପୋର୍ଟ ଅନୁସାରେ, ଓଡ଼ିଶାର ଅଣ୍ଟା ଭାଙ୍ଗିଦେଇଥିବା ୧୯୯୯ ମସିହାର ବିଧ୍ୱଂସୀ ମହାବାତ୍ୟାକୁ ପଚିଶ ବର୍ଷ ବିତିଗଲାଣି। ଏହି ମହାବାତ୍ୟା ୧୦ ହଜାରରୁ ଅଧିକ ମୂଲ୍ୟବାନ ଜୀବନ ନେଇଥିବାବେଳେ ପ୍ରାୟ ୧୮ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ। ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା ଓଡ଼ିଶାର ଅର୍ଥନୀତି। କିନ୍ତୁ ଏଥିରେ ଭାଙ୍ଗି ନ ପଡ଼ି ପୁନଃନିର୍ମାଣରେ ବ୍ରତୀ ହୋଇ ଓଡ଼ିଶା ରାଜ୍ୟବାସୀଙ୍କୁ ଭବିଷ୍ୟତର ବିପର୍ୟ୍ୟୟରୁ ରକ୍ଷା କରିବା ପାଇଁ କେବଳ ସଙ୍କଳ୍ପ ନେଇନାହିଁ, ବରଂ ‘ଶୂନ ଜୀବନ ହାନୀ’ ନୀତିକୁ ଆଧାର କରି ବିପର୍ୟ୍ୟୟ ପରିଚାଳନାରେ ଏକ ବିଶ୍ୱସ୍ତରୀୟ ଉଦାହରଣ ସୃଷ୍ଟି କରିଛି।
ଏକ ଉପକୂଳବର୍ତ୍ତୀ ରାଜ୍ୟ ଭାବରେ ଓଡ଼ିଶାକୁ ବାରମ୍ୱାର ତୀବ୍ର ଘୂର୍ଣ୍ଣିଝଡ଼, ମରୁଡ଼ି, ଅତ୍ୟଧିକ ବୃଷ୍ଟିପାତ, ବନ୍ୟା / ଫ୍ଲାସ୍‌‌ଫ୍ଲଡ୍‌‌, ବଜ୍ରପାତ, ସୁନାମି, ଏବଂ ସମୁଦ୍ର ପତ୍ତନ ବୃଦ୍ଧି ଭଳି ବିପଦ ସାମ୍‌‌ନା କରିବାର ଆଶଙ୍କା ରହିଛି। ଓଡ଼ିଶାର ଉପକୂଳକୁ ସମୁଦ୍ର କ୍ଷୟରୁ ରକ୍ଷା କରିବା ପାଇଁ ମଧ୍ୟ ଏକ ଜରୁରୀ ଆବଶ୍ୟକତା ରହିଛି। ଓଡ଼ିଶା ନିଜ ଅନୁଭୂତିରୁ ଶିଖି ଯଥା ସମ୍ଭବ ସ୍ଥାନୀୟ ସମ୍ପ୍ରଦାୟର ସହଯୋଗରେ ମୁକାବିଲା ପାଇଁ ଅଣ୍ଟା ଭିଡ଼ୁଛି ବୋଲି ବିଶ୍ୱ ବ୍ୟାଙ୍କ ରିପୋର୍ଟରେ ଦର୍ଶାଯାଇଛି। ନିକଟରେ ଓଡ଼ିଶା ଗସ୍ତରେ ଥିବା ବିଶ୍ୱବ୍ୟାଙ୍କ ଭାରତ ଶାଖାର ନିର୍ଦ୍ଦେଶକ ଅଗସ୍ତେ ଟାନୋ କୌଆମେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହିତ ଏହି ପ୍ରସଙ୍ଗରେ ଆଲୋଚନା କରିବା ସହିତ ରାଜ୍ୟର ବିଭିନ୍ନ ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଛନ୍ତି।

Related Articles

Leave a Reply

Your email address will not be published.

Back to top button