ଛତିଶଗଡ଼ ଖୋଲିଲା କଲମାର ସବୁ ଗେଟ୍‌

ଭୁବନେଶ୍ବର: ଆସନ୍ତା ୪ ତାରିଖରେ ଲଘୁଚାପ ଯୋଗୁ ଓଡ଼ିଶାରେ ପ୍ରବଳ ବର୍ଷିବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଅନୁମାନ କରାଯାଇଛି। ଏଭଳିସ୍ଥଳେ ହୀରାକୁଦ ଡ୍ୟାମର ଉପରମୁଣ୍ଡ ମହାନଦୀରେ ଥିବା ଛତିଶଗଡ଼ର କଲମା ବ୍ୟାରେଜ୍‌ର ସମସ୍ତ ୬୬ ଗେଟ୍‌କୁ ଖୋଲିଦିଆଯାଇଛି। ଫଳରେ ୬୩୦ ଫୁଟ କ୍ଷମତା ବିଶିଷ୍ଟ ହୀରାକୁଦ ଡ୍ୟାମ୍‌ର ଜଳପତ୍ତନ ବୃଦ୍ଧି ପାଉଛି। ଶୁକ୍ରବାର ସନ୍ଧ୍ୟା ୬ ସୁଦ୍ଧା ଏଠାରେ ୬୦୪.୧୯ ଫୁଟ ପାଣି ରହିଛି, ଯାହାକି ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏଥିଯୋଗୁ ହୀରାକୁଦ ଡ୍ୟାମ୍‌ର ଗେଟ୍‌ ଖୋଲିବା ସ୍ଥିତି ସୃଷ୍ଟି ହୋଇଥିବାବେଳେ ରାଜ୍ୟରେ ଲଗାଣ ବର୍ଷା ରହିଲେ ତଳମୁଣ୍ଡରେ ବଡ଼ଧରଣର ବନ୍ୟା ଆଶଙ୍କାକୁ ଏଡ଼ାଇ ହେବନାହିଁ। ନିଜକୁ ସୁରକ୍ଷିତ ରଖିବାକୁ ଯାଇ ଛତିଶଗଡ଼ ସରକାର ଏକଜିଦିଆ ଭାବେ କଲମାର ସବୁ ଗେଟ୍‌ ଖୋଲିଦେଇଥିବାରୁ ଓଡ଼ିଶା ପାଇଁ ଆସନ୍ନ ବିପଦ ଦେଖାଦେଇଛି। ମହାନଦୀ ଜଳକୁ ନେଇ ଉଭୟ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ବିବାଦ ଲାଗିରହିଥିବାବେଳେ ଏହାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରାଯାଇ ତଦନ୍ତ ଜାରି ରହିଛି। ଜଳ ପରିଚାଳନା ବିଶେଷ କରି ବନ୍ୟାଜଳ ପରିଚାଳନାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ସମନ୍ବୟର ଅଭାବ ରହୁଥିବା ଅନେକ ସମୟରେ ଦେଖିବାକୁ ମିଳିଥାଏ। ଗତ ବର୍ଷାଋତୁରେ ଛତିଶଗ଼ଡ ତା’ର ବ୍ୟାରେଜଗୁଡ଼ିକର ଗେଟ୍‌ ଖୋଲିଦେଇଥିବା ବେଳେ ଗ୍ରୀଷ୍ମ ଋତୁରେ ସମସ୍ତ ଗେଟ୍‌ ବନ୍ଦ କରି ମହାନଦୀକୁ ଶୁଖିଲା କରିଦେଇଥିଲା। ଏବେ ହୀରାକୁଦ ଉପର ଓ ତଳମୁଣ୍ଡରେ ବର୍ଷା ଲାଗିରହିଥିବା ବେଳେ ଛତିଶଗଡ କଲମା ବ୍ୟାରେଜର ୬୬ ଗେଟ୍‌ ଖୋଲି ଏକ ଖାମଖିଆଲି ମନୋଭାବର ପରିଚୟ ଦେଇଛନ୍ତି। ୬୬ ଗେଟ୍‌ ଖୋଲିବାର ୧୨ ଘଣ୍ଟା ପରେ ଅର୍ଥାତ୍‌ ଶନିବାର ଭୋର ୩ଟାରେ ୧,୩୬,୦୦୦ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ପ୍ରବେଶ କରିବ ବୋଲି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଆକଳନ କରିଛନ୍ତି। ହୀରାକୁଦ ଜଳଭଣ୍ଡାରକୁ ମଧ୍ୟ ଜଳ ପ୍ରବେଶ ପରିମାଣ ବୃଦ୍ଧି ପାଇବ। ଏବେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮୮,୨୮୬ କ୍ୟୁସେକ ଜଳ ପ୍ରବେଶ କରୁଛି। ଜଳସ୍ତର ୬୦୪.୧୯ ଫୁଟ୍‌ ରହିଛି। ସେଥିମଧ୍ୟରୁ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ପାୱାର ଚ୍ୟାନେଲକୁ ୨୯,୦୨୯ କ୍ୟୁସେକ ପାଣି ଦିଆଯାଉଥିବା ବେଳେ ଚାଷକୁ ୬୦୦, ଶିଳ୍ପକୁ ୨୬୮ ଏଭଳି ମୋଟ ୨୯,୮୯୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ହାରାହାରି ଦେଖିବାକୁ ଗଲେ ଜଳ ପ୍ରବେଶ ପରିମାଣ ତୁଳନାରେ ଅଧା ନିଷ୍କାସନ ହେଉଛି। ଆଗକୁ ଜଳ ପ୍ରବେଶ ପରିମାଣ ବୃଦ୍ଧି ପାଇଲେ କିମ୍ବା ବର୍ଷା ଲାଗିରହିଲେ ସମସ୍ୟା ହୋଇପାରେ ବୋଲି କୁହାଯାଉଛି। ହୀରାକୁଦ ଡ୍ୟାମ୍‌ କର୍ତ୍ତୃୃପକ୍ଷଙ୍କ ସୂଚନା ଅନୁସାରେ, କଲମାର ସମସ୍ତ ଗେଟ୍‌ ଖୋଲା ଯାଇଥିବା ନେଇ ଆମ ପାଖକୁ ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହା ତାଙ୍କର ପ୍ରଥମ ବନ୍ୟା ଜଳ ନିଷ୍କାସନ। ଉକ୍ତ ବନ୍ୟା ଜଳ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରିବାକୁ ୧୨ଘଣ୍ଟାରୁ ଅଧିକ ସମୟ ଲାଗିବ। ହୀରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ୍‌ ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୬୦୪ ଫୁଟ୍‌ ରହିଛି। ଏଥିରେ ଜଳ ଭଣ୍ଡାରକୁ ସମସ୍ୟା ହେବନାହିଁ। ଉପରମୁଣ୍ଡରେ ମଧ୍ୟ ବର୍ଷାର ପରିମାଣ କମିଯାଇଛି। ନିୟମିତ ବର୍ଷା ଲାଗିରହିଲେ ଓ ଏଭଳି ଜଳ ପ୍ରବେଶ କଲେ ସମସ୍ୟା ଦେଖାଦେଇପାରେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ଜୁଲାଇ ୧୮ରୁ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ସେତେବେଳେ ଜଳସ୍ତର ୬୧୩.୧୭ ଫୁଟ୍‌ ରହିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button