ନୀଳାଦ୍ରି ବିଜେରେ ରସଗୋଲା
ଭୁବନେଶ୍ବର: ଦାରୁଦିଅଁଙ୍କ ଜଗତମଙ୍ଗଳ ଲୀଳାର ଶେଷ ଦିବସରେ ହୁଏ ନୀଳାଦ୍ରି ବିଜେ। ଏହି ଦିନକୁ ରସଗୋଲା ଦିବସ ଭାବେ ୨୦୧୫ରୁ ପାଳନ କରାଯାଇଆସୁଛି। ମହାପ୍ରଭୁଙ୍କ ଉପାସନାରେ ଦୁଇ ପ୍ରକାର ଭୋଗ ବ୍ୟବସ୍ଥା ରହିଛି। ତାହା ହେଲା ସଙ୍କୁଡ଼ି ଓ ନିଃସଙ୍କୁଡ଼ି। ସାଧାରଣତଃ ଅନ୍ନ, ଡାଲି, ବେସର ପ୍ରଭୃତିକୁ ସଙ୍କୁଡ଼ି ଭୋଗ ପର୍ଯ୍ୟାୟରେ ଗଣାଯାଏ। ନିଃସଙ୍କୁଡ଼ି ଭୋଗ କହିଲେ ପିଠାପଣାକୁ ବୁଝାଯାଏ। ଏହା ମଧ୍ୟ ଦୁଇଭାଗରେ ବିଭକ୍ତ। ପିଷ୍ଟାନ୍ନ ଓ ମିଷ୍ଟାନ୍ନ। ଘିଅ ବ୍ୟବହୃତ ହୋଇ ପ୍ରସ୍ତୁତ ହେଉଥିବା ପିଠାକୁ ପିଷ୍ଟାନ୍ନ ଓ ବିନା ଘିଅରେ ପ୍ରସ୍ତୁତ ଅମୁଣିଆକୁ ମିଷ୍ଟାନ୍ନ କୁହାଯାଏ। ଅମୁଣିଆ କହିଲେ ଦାରୁଦିଅଁଙ୍କ ପରମ୍ପରାରେ ଯାହା ଭୋଗ ନ ହୋଇ ଭୋଗ ନିମନ୍ତେ ପ୍ରସ୍ତୁତ ରହିଥାଏ। ଉଭୟ ପିଷ୍ଟାନ୍ନ ଓ ମିଷ୍ଟାନ୍ନ ପ୍ରସ୍ତୁତିରେ ଛେନାର ବ୍ୟବହାର ମଧ୍ୟ ରହିଅଛି। ଘିଅ ବ୍ୟବହାର ହୋଇ ନଅ ପ୍ରକାର ପିଠା ଓ ପଣା ବର୍ଷସାରା ବିଭିନ୍ନ ନୀତିପର୍ବରେ ଭୋଗ ପାଇଁ ପ୍ରସ୍ତୁତ ହୋଇଥାଏ। ବର୍ଷକୁ ଥରେ ଘିଅ ବ୍ୟବହାର ନ ହୋଇ ଛେନାରେ ପ୍ରସ୍ତୁତ ଗୋଟିଏ ପ୍ରକାର ମିଠା ଦାରୁଦିଅଁଙ୍କ ଉପାସନାରେ ସାମିଲ ହୋଇଥିବାର ନଜିର ରହିଛି। ସେହି ଗୋଟିକ ମିଠା ହେଲା ରସଗୋଲା। ଏହା ଦାରୁଦିଅଁଙ୍କ ନୀତି ସହିତ ସମ୍ପୃକ୍ତ ହୋଇଅଛି। ଦାରୁଦିଅଁ ଆଡ଼ପ ମଣ୍ଡପରୁ ଆସି ନୀଳାଦ୍ରି ବିଜେ ଦିନ ଶ୍ରୀମନ୍ଦିରର ଭଣ୍ଡାର ଗୃହ ନିକଟରେ ପହଞ୍ଚତ୍ବା ପରେ ପାଞ୍ଚଗୋଟି ନୀତି ସମ୍ପନ୍ନ ହୋଇଥାଏ। ପ୍ରଥମେ ଗଇଁଠାଳ ଖୋଲାଯିବା ପରେ ବନ୍ଦାପନା ନୀତି ହୋଇଥାଏ। ତାହାପରେ ଭିତରଚ୍ଛ ମହାପାତ୍ର ଦାରୁଦିଅଁଙ୍କ ପ୍ରତିନିଧି ରୂପେ ସେଠାରେ ଉପସ୍ଥିତ ହୋଇ ରସଗୋଲା ଭୋଗ କରାଇଥାନ୍ତି। ଏହାପରେ ଘଷା ନୀତି ହୋଇ ବିଡ଼ିଆ ମଣୋହି ହୁଏ। ଏହି ପାଞ୍ଚନୀତି ପରେ ଦାରୁଦିଅଁ ରତ୍ନବେଦିକୁ ବିଜେ କରନ୍ତି। ସେହିପରି ଛେନା ବ୍ୟବହାର ହୋଇ ପ୍ରସ୍ତୁତ ହେଉଥିବା ପିଠାପଣା ହେଉଛି କେଳି, ଘଉଡ଼ି, ଛେନାତାଡ଼ିଆ, ପାରିଜାତକ, ମାଣ୍ଡୁଅ, ରସାବଳି, ସୁଆରି, ଅଧରପଣା, ଚକଟା ଭୋଗ। ଅଟା ଓ ଛେନାରେ କେଳି ପ୍ରସ୍ତୁତ ହେଉଥିବା ବେଳେ ଅଟା ଓ ଛେନାରେ ମଧ୍ୟ ଘଉଡ଼ି ପ୍ରସ୍ତୁତ ହୋଇଥାଏ। ମାତ୍ର ପ୍ରସ୍ତୁତିରେ ସାମାନ୍ୟ ଫରକ ରହିଛି। ସୁଆରି ପିଠାଟି କ୍ଷୀରରେ ଛେନା ମିଶିବା ପରେ ତା’ ମଧ୍ୟରେ ଛେନାମାଣ୍ଡୁଅ ମିଶ୍ରଣ କରାଯାଇ ପ୍ରସ୍ତୁତ କରାଯାଏ। ତେବେ ଏହି ନଅଟି ଛେନା ପ୍ରସ୍ତୁତ ଭୋଗ ମଧ୍ୟରୁ ଯଥା-ଅଧରପଣା ଓ ଚକଟା ସମର୍ପଣ ହୋଇଥାଏ। ସୂଚନାଯୋଗ୍ୟ, ଅଧରପଣାରେ ଛେନା ସହିତ ନଅଟି ଦ୍ରବ୍ୟ ମିଶାଯାଇ ଦାରୁଦିଅଁଙ୍କୁ ରଥ ଉପରେ ସମର୍ପଣ କରାଯାଇଥାଏ। ସେହିପରି ଅଣସର ଓ ମହାଅଣସରରେ ବିଶେଷ ଭାବେ ପତିମହାପାତ୍ର ଛେନାରେ ପ୍ରସ୍ତୁତ ଚକଟା ଭୋଗ ସମର୍ପଣ କରିଥାନ୍ତି। ଅତଏବ ଦାରୁଦିଅଁଙ୍କ ଷୋଡ଼ଶ ଉପଚାର ସମ୍ବଳିତ ଉପାସନାରେ ଛେନାର ବ୍ୟବହାର ବହୁ ପ୍ରାଚୀନ କାଳରୁ ରହିଅଛି। ଏହା ଶାସ୍ତ୍ରୀୟ ବ୍ୟବସ୍ଥା । ଶାସ୍ତ୍ରୀୟ ବ୍ୟବସ୍ଥା ସହିତ ପରମ୍ପରାଗତ ବ୍ୟବସ୍ଥା ମଧ୍ୟ ଦାରୁଦିଅଁଙ୍କ ଉପାସନାରେ ରହିଛି।