ଲିଙ୍ଗଗତ ଅସମାନତା ଯୋଗୁ ସଙ୍କୁଚିତ ହେଉଛି ମହିଳାଙ୍କ ମସ୍ତିଷ୍କ

ଲଣ୍ଡନ: ଅନେକ ଦେଶରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ବେଶି ପ୍ରାଧାନ୍ୟ ଦିଆଯାଏ। ଘରେ ହେଉ ଅବା ବାହାରେ, ପାଠ ପଢ଼ାଠାରୁ ଆରମ୍ଭ କରି ଚାକିରି କରିବା କ୍ଷେତ୍ରରେ ପୁରୁଷଙ୍କୁ ସବୁଥିରେ ଅଗ୍ରାଧିକାର ଦିଆଯାଏ। ଏହି ଲିଙ୍ଗଗତ ଅସମାନତା କେବଳ ସମାଜକୁ ପ୍ରଭାବିତ କରୁନାହିଁ, ଏହାଦ୍ୱାରା ମହିଳାଙ୍କ ମସ୍ତିଷ୍କ ସଙ୍କୁଚିତ ହେଉଥିବା ଲଣ୍ଡନର ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି। ଲିଙ୍ଗଗତ ଭେଦଭାବ ଅଧିକ ଦେଖାଯାଉଥିବା ଦେଶର ମହିଳାଙ୍କ ମସ୍ତିଷ୍କର ଡାହାଣ ହେମିସ୍ପିୟର ମୋଟେଇ ପୁରୁଷଙ୍କ ତୁଳନାରେ ପତଳା ହୋଇଥିବା ଜଣାପଡ଼ିଛି। ଯେଉଁ ଦେଶରେ ଲିଙ୍ଗଗତ ଅସମାନତା ଅଧିକ ସେ ଦେଶରେ ମହିଳାଙ୍କ ମସ୍ତିଷ୍କର ହେମିସ୍ପିୟର ସେତେ ପତଳା ହୋଇଥିବା ଲକ୍ଷ୍ୟ କରାଯାଇଛି। ଚିନ୍ତା ଓ ଆବେଗ ଯୋଗୁ ମହିଳାଙ୍କ ମସ୍ତିଷ୍କରେ ଏ ପ୍ରକାର ପରିବର୍ତ୍ତନ ଦେଖାଯାଉଥିବା ଅଧ୍ୟୟନର ମୁଖ୍ୟ ଅଥର୍‌ ତଥା ଅକ୍ସଫୋର୍ଡ ୟୁନିଭର୍ସିଟିର ସାକାଟ୍ରି ବିଭାଗ ପ୍ରଫେସର ଡା. ନକୋଲାସ କ୍ରସ୍‌ଲି କହିଛନ୍ତି। ଅଧ୍ୟୟନରେ ଭାରତକୁ ମଧ୍ୟ ସାମିଲ କରାଯାଇଛି। ଅନ୍ୟପକ୍ଷେ ଜନସଚେତନତା ଯୋଗୁ ବିଭିନ୍ନ ସ୍ଥାନରେ ଲିଙ୍ଗଗତ ଅସମାନତା ହ୍ରାସ ପାଇଛି। ଜର୍ନାଲ ପ୍ରୋସିହିଙ୍ଗ୍‌ ଅଫ୍‌ ଦ ନ୍ୟାଶନାଲ ଏକାଡେମି ଅଫ୍‌ ସାଇନ୍ସେସ୍‌ରେ ଅଧ୍ୟୟନର ସବିଶେଷ ତଥ୍ୟ ପ୍ରକାଶ ପାଇଛି। ୧୮ରୁ ୪୦ ବର୍ଷ ବୟସ ବର୍ଗର ୪,୦୭୮ ମହିଳା ଏବଂ ୩,୭୯୮ ପୁରୁଷଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଛି। ବ୍ରିଟେନ, ଚାଇନା, ଆମେରିକା, ଭାରତ, ଦକ୍ଷିଣ ଆଫ୍ରିକା ଆଦି ଦେଶର ଲୋକଙ୍କୁ ଏଥିରେ ସାମିଲ କରାଯାଇଛି। ଚିନ୍ତା କାରଣରୁ ନ୍ୟୁରୋନ୍‌ ସଂଯୋଗ ସବୁ ଦୁର୍ବଳ ହୋଇଯାଇଥିବା ଏମ୍‌ଆର୍‌ଆଇ ଷ୍ଟଡିରୁ ଜଣାପଡ଼ିଥିବା କ୍ରସ୍‌ଲି କହିଛନ୍ତି। ଅନ୍ୟପକ୍ଷେ ଅବସାଦ ଯୋଗୁ ମହିଳାଙ୍କ ମସ୍ତିଷ୍କର ବିକାଶରେ ବାଧା ସୃଷ୍ଟି ହୋଇଥାଏ। ଏଥିଯୋଗୁ ମହିଳାଙ୍କଠାରେ ମସ୍ତିଷ୍କଜନିତ ରୋଗ ବୃଦ୍ଧି ପାଇବାର ଡର ରହିଛି। ଲିଙ୍ଗଗତ ଅସମାନତା ଦ୍ୱାରା ମହିଳାଙ୍କ ମସ୍ତିଷ୍କ ସଙ୍କୁଚିତ ହେବା ଜଣାପଡ଼ିବା ପରେ ଏହା କେଉଁଭଳି ଏବଂ କେବେ ମସ୍ତିଷ୍କକୁ ଅଧିକ ପ୍ରଭାବିତ କରୁଛି ସେ ବିଷୟରେ ଅଧିକ ଅଧ୍ୟୟନ କରାଯିବାର ଆବଶ୍ୟକତା ରହିଛି।

Related Articles

Leave a Reply

Your email address will not be published.

Back to top button