ସେଫ୍ଟି ପିନର କାହାଣୀ

ଆମେରିକୀୟ ମେକାନିକ୍‌ ଓ୍ବାଲ୍ଟର ହଣ୍ଟ ହେଉଛନ୍ତି ସେଫ୍ଟି ପିନ୍‌ର ଉଦ୍ଭାବକ। ଓ୍ବାଲ୍ଟର ହଣ୍ଟ ଛୋଟ ଛୋଟ କିନ୍ତୁ ଅତି ଆବଶ୍ୟକୀୟ ଜିନିଷର ଉଦ୍ଭାବକ ଭାବେ ବେଶ୍‌ ପରିଚିତ। କୁହାଯାଏ ଥରେ ଓ୍ବାଲ୍ଟର ହଣ୍ଟ ଅନେକ କରଜରେ ବୁଡି ରହିଥିଲେ। ସେଇ କରଜକୁ ପରିଶୋଧ କରିବା ଲାଗି ସେ ଅନେକ ଉଦ୍ଭାବନ କରିଥିଲେ। ଆଉ ତା’ ମଧ୍ୟରେ ସେଫ୍ଟି ପିନ୍‌ ଥିଲା ଅନ୍ୟତମ। ଏହାକୁ ତିଆରି କରିବା ପରେ ସେ ଯେବେ ଅନୁଭବ କଲେ ଯେ, ଏହା ବହୁତ ଆବଶ୍ୟକୀୟ ଜିନିଷ ତାକୁ ପେଟେଣ୍ଟ କରାଇଲେ। କିନ୍ତୁ ପରେ କରଜ ଶୁଝିବା ଲାଗି ତାକୁ ବିକ୍ରି ବି କରିଦେଲେ। ଯେଉଁଥିପାଇଁ ସେ ୪୦୦ ଡଲାର ପାଇଥିଲେ। ଉଦ୍ଭାବନ ପଛର କଥା: କୁହାଯାଏ ଓ୍ବାଲ୍ଟର ହଣ୍ଟଙ୍କ ପତ୍ନୀଙ୍କ ଡ୍ରେସ୍‌ର ବଟନ୍‌ ଛିଣ୍ଡି ଥରେ ଯାଇଥିଲା। ସେତେବେଳେ ଓ୍ବାଲ୍ଟର ଛୋଟିଆ ତାରଖଣ୍ଡେକୁ ମୋଡି ଏକ ଯୋଗାଡ କରିଥିଲେ, ଯାହାକି ବଟନ୍‌ ପରି କାମ କରିଥିଲା। ପରେ ସେ ସେହି ତାରରେ ଅଧିକ ଗବେଷଣା କରି ହାତ ଯେମିତି ଫୋଡି ନ ହୁଏ ସେଭଳି ଏକ ଡିଜାଇନ୍‌ କରି ଏହି ସେଫ୍ଟି ପିନକୁ ତିଆରି କଲେ। ସେତେବେଳେ ଏହାକୁ ‘ଡ୍ରେସ୍‌ ପିନ୍‌’ କୁହାଯାଉଥିଲା। ସମୟ ବଦଳିଲା। ହେଲେ ଏହାର ଆବଶ୍ୟକତା କମିଲା ନାହିଁ। ଏହା ଆଙ୍ଗୁଠିକୁ ସୁରକ୍ଷା ପ୍ରଦାନ କରୁଥିବାରୁ ପରେ ଏହାକୁ ‘ସେଫ୍ଟି ପିନ୍‌’ କୁହାଗଲା। ଏବେ ବି ଏହାର ମୁଖ୍ୟ କାମ ଡ୍ରେସ୍‌ ପିନ୍‌ କରିବା ଅଟେ। ଶାଢି, ସାଲଓ୍ବାର ସହ ଅନ୍ୟ ମଡର୍ଣ୍ଣ ଡ୍ରେସ୍‌ରେ ବି ଏହାକୁ ବ୍ୟବହାର କରାଯାଉଛି। ଏହାର ଉପଯୋଗିତା କମି ନ ଥିବାରୁ ଆଜିବି କୌଣସି କମ୍ପାନୀ ଏହାର ଡିଜାଇନ୍‌ରେ କିଛି ପରିବର୍ତ୍ତନ କରି ନାହାନ୍ତି। କେବଳ କିଛି କମ୍ପାନୀ ଶାଢୀ, ଡ୍ରେସ୍‌ ସହ ମ୍ୟାଚ୍‌ କଲାଭଳି କଲରଫୁଲ ସେଫ୍ଟି ପିନ୍‌ ତିଆରି କରୁଛନ୍ତି। ତା’ମାନେ ନୁହେଁ ଯେ, ଷ୍ଟିଲ୍‌ ସେଫ୍ଟି ପିନ୍‌ର ଚାହିଦା କମିଛି। ଏହାର ଚାହିଦା ଏବେବି ବେଶ୍‌ ଅଛି।

Related Articles

Leave a Reply

Your email address will not be published.

Back to top button