ଜାତିସଂଘ ନିରାପତ୍ତା ପରିଷଦର ଅଧ୍ୟକ୍ଷ ହେଲା ରୁଷ୍‌

ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷ୍‌ ପୁଣିଥରେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ଅଧ୍ୟକ୍ଷ ହୋଇଛି। ସାରା ବିଶ୍ବରେ ଯୁଦ୍ଧକୁ ନେଇ ରୁଷ୍‌କୁ ସମାଲୋଚନା କରାଯାଉଥିବାବେଳେ ବିଶ୍ବର ଶକ୍ତିଶାଳୀ ସଂସ୍ଥାର କମାଣ୍ଡ ରୁଷ୍‌ ହାତକୁ ଯିବା ଅନେକଙ୍କୁ ବିସ୍ମିତ କରିଛି। ରୁଷ୍‌ର ଅଧ୍ୟକ୍ଷତାକୁ ୟୁକ୍ରେନ୍‌ ଗତ କିଛି ଦିନ ହେଲା ତୀବ୍ର ବିରୋଧ କରି ଆସୁଛି। ୟୁଏନ୍‌ଏସ୍‌ସିର ସମସ୍ତ ୧୫ ସଦସ୍ୟ ମାସେ ଲେଖାଏଁ ଏହାର ଅଧ୍ୟକ୍ଷ ରହିଥାଏ। ଏହି ଆଧାରରେ ଏବେ ରୁଷ୍‌ ହାତକୁ ଅଧ୍ୟକ୍ଷତା ଯାଇଛି। ଏହା ପୂର୍ବରୁ ଗତ ବର୍ଷ ଫେବୃଆରୀରେ ରୁଷ୍‌ ୟୁଏନଏସ୍‌ସିର ଅଧ୍ୟକ୍ଷ ଥିଲା। ଏହି ସମୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଉପରେ ଆକ୍ରମଣ କରିଥିଲେ। ୟୁକ୍ରେନ୍‌ ଉପରେ ଚାଲିଥିବା ଏକ ଅଧିବେଶନରେ ପୁତିନ ସ୍ବତନ୍ତ୍ର ସୈନ୍ୟ ଅଭିଯାନ ପାଇଁ ଘୋଷଣା କରିଥିଲେ। ରୁଷ୍‌ ଅଧ୍ୟକ୍ଷତାକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲ୍‌ଡାମିର ଜେଲେଁସ୍କିଙ୍କ ପରାମର୍ଶଦାତା ମାୟଖାଇଲୋ ପୋଡିଲେକ କହିଛନ୍ତି ଯେ ଅନ୍ତର୍ଜାତୀୟ ଆଇନର ପୁଣି ଦୁଷ୍କର୍ମ ହୋଇଛି। ଅନ୍ୟ ଉପରେ ଆକ୍ରମଣ କରି ମାନବିକତା ମୂଲ୍ୟବୋଧ, ଆପରାଧିକ ଆଇନ ଏବଂ ଜାତିସଂଘ ନିୟମକୁ ଉଲ୍ଲଙ୍ଘନ କରୁଥିବା ଦେଶ ପ୍ରମୁଖ ସୁରକ୍ଷା ସଂସ୍ଥାର ମୁଖ୍ୟ ହୋଇପାରିବ ନାହିଁ। ଶାନ୍ତି ଏବଂ ସୁରକ୍ଷା ବଜାୟ ରଖିବା ୟୁଏନଏସ୍‌ସିର କାମ। ଏପ୍ରିଲ ଫୁଲ୍‌ ଦିନରେ ରୁଷ୍‌ ୟୁଏନ୍‌ଏସ୍‌ସିର ଅଧ୍ୟକ୍ଷ ହେବା ସବୁଠାରୁ ଖରାପ ଥଟାମଜା ଥିଲା। ୟୁଏନଏସ୍‌ସିର କାର୍ୟ୍ୟ କରିବାର ଶୈଳୀ ଖରାପ ଅଛି ବୋଲି ଏହା ପ୍ରମାଣିତ କରୁଛି। ଏହି ବିଶ୍ବ ସଙ୍ଗଠନ ଯୁଦ୍ଧକୁ ରୋକିବାରେ ବିଫଳ ହୋଇଛି ବୋଲି ଗତ ବର୍ଷ ଜେଲେଁସ୍କି ଅଭିଯୋଗ କରିଥିଲେ। ପରିଷଦ ନିଜର କାର୍ୟ୍ୟ କରିବାର ବ୍ୟବସ୍ଥାରେ ପରିବର୍ତ୍ତନ କରିବା ଜରୁରୀ। ନଚେତ ଏହାକୁ ଭଙ୍ଗ କରିଦିଆଯିବା ଉଚିତ ବୋଲି ସେ କହିଥିଲେ। ରୁଷ୍‌ର ଅଧ୍ୟକ୍ଷତାକୁ ନେଇ ଆମେରିକା ଅସହାୟ ହୋଇପଡିଛି। ଏହି ଦେଶ ହାତ ଟେକି ଦେଇଛି। କିଛି କରିପାରିବ ନାହିଁ ବୋଲି କହିଛି। ହ୍ବାଇଟ ହାଉସର ପ୍ରେସ ସଚିବ କ୍ୟାରିନ ଜିନ କହିଛନ୍ତି ଯେ ରୁଷ୍‌ ପରିଷଦର ସ୍ଥାୟୀ ସଦସ୍ୟ ରହିଛି। କୌଣସି ଅନ୍ତର୍ଜାତୀୟ ସଂସ୍ଥା ଏହି ଦେଶ ହାତରୁ ମାସକ ପାଇଁ ଅଧ୍ୟକ୍ଷତାକୁ ଛଡାଇ ନେଇପାରିବ ନାହିଁ। ଏହା ନିୟମ ବିରୋଧୀ ହେବ। ରୁଷ୍‌ ନିଜ କ୍ଷମତା ପ୍ରୟୋଗ କରି ୟୁକ୍ରେନ କାର୍ୟ୍ୟାନୁଷ୍ଠାନକୁ ଠିକ୍‌ ଦର୍ଶାଇବା ପାଇଁ ପ୍ରୟାସ କରିପାରେ। ଏହା ସତ୍ତ୍ବେ ଆମେରିକା କିଛି କରିପାରିବ ନାହିଁ। ଅନ୍ୟପକ୍ଷରେ ପୁତିନ ରୁଷ୍‌ର ବିଦେଶୀ ନୀତି ଘୋଷଣା କରି ଭାରତ ଏବଂ ଚୀନ୍‌କୁ ପ୍ରମୁଖ ସହଯୋଗୀ ରାଷ୍ଟ୍ର କହିଛନ୍ତି।

Related Articles

Leave a Reply

Your email address will not be published.

Back to top button